Original poem · ଓଡ଼ିଆ
ମେଳଣ (ମିଳନ)

ରାମକେରୀ ମଧୁକରୀ ଯୋଡ଼ିମହୁରୀ
କେତେ ବଜାଗଜା
କି ବାଘଛେଳି, ବହୂଚୁରୀ, ହୁମବଉଳି
ନ ହେଲେ ଗଞ୍ଜପାର ରଙ୍ଗୀନ୍ ପଟ
ହାରିବା, ହଜିବା ପାଇଁ ରହିଛି ହଜାର ପଥ
ଆମ ଗାଆଁ କଡ଼େ
ଥକାରେ ବସିଛି, ନିର୍ବିକାର ଯୋଗିଆ ବରଗଛ ମୂଳ
ପାଣିମାହାରା ଧଡ଼ି ପହଣୀ ବିଲର
ଉଠାଣି ଗଡ଼ାଣିର ମାଟିଧାର
ଆମେ ଚାହିଁ ଫେରିପାରୁ ନଥିବା ମନ୍ଦିର
ମଧୁରକଷା ଭୂଇଁଜାମୁ କୁସୁମକୋଳି
ତାଳବଣ କାକଳି
କାଳେ କାଳେ ଟାଣି ନେଉଥିବ ଦୁହିଁଙ୍କର ମନ,
ଆମେ ମାନିନେବା
ସବୁତକ ସେଇ ଠାକୁର ଠାକୁରାଣୀମାନଙ୍କ
ଇଙ୍ଗିତ ଖେଳ।
କୋଟିଏ ମୁଣ୍ଡ ମଝିରେ
ଅସୁମାରୀ ଦୀନ ଜଣାଣ
ଏଇ ମେଳଣଟି-
ତୁମେ ଆଉ ମୁଁ ମିଶିବା,
ତୁମେ କଣ ଭାବିଲ କପାଳର ଲେଖା ବୋଲି?
ହସୁଚେ କାନ୍ଦୁଚେ,
ଶୁଖିଲା ପତରଟିଏ ଉଡ଼ିଲା ପରି ବହୁଛେ
ତାଙ୍କରି ଅନବଦ୍ୟ ଇଚ୍ଛାରେ !
ତଥାପି ଆମେ ଅଛେ,
ଏକ ବିଭାଜିତ ପ୍ରାଣର ଦୁଇଟି ପାର୍ଶ୍ବ
ଆମେ ଚାଲୁଚେ, ବୁଲୁଚେ
ଗୋଟିଏ ପୃଥିବୀରେ, ଏକ ସମୟରେ।
ଚାଲ ଭାବିନେବା
ଏହାହିଁ ପରମ ଆନନ୍ଦ,
ତୃପ୍ତଜୀବନର ବରଦାନ।
ଅନ୍ତତଃ ମୋର ଉଦାସ ମୁହୂର୍ତ୍ତ ଗୁଡ଼ିକରେ
ତୁମର ଆଧିପତ୍ୟ
ତୁମେ ଆସ,
ମୋର ହାତଧରି
ଥରକୁ ଥର ସେହି ପ୍ରେମଗୀତ ଗୁଡ଼ିକ ବୁଣିବା ପାଇଁ,
ଏ ନିଉଁଛାଣିରେ
ଯେତିକି ସୁଖ ସେତିକି ବେଦନ
ଯେତେ ବିବାଦ, ଅପବାଦ
ସେତିକି ମାନ, ଯାତନ,
ଆଉ ତହୁଁ ଅଧିକ ପ୍ରେମ
ଲୁହର ସରୁ ଚୁମ୍ବନ
ଉଛୁଳି ଯାଏ କଜଳଲାଞ୍ଜି
ନୟନୁ ଗଣ୍ଡଦେଶ ଯାଏଁ !
~
ଶକୁନ୍ତଳା
Read at source ↗
Poems appear in their original language. The language selector changes the website text.