KABITA WITHOUT BORDERS

ମୂଳ କବିତା · ଓଡ଼ିଆ

ମେଳଣ (ମିଳନ)

ଶକୁନ୍ତଳା ଗୁପ୍ତା

Two village paths meeting beneath an old banyan, painted Ganjapa cards resting in the foreground, reunion and longing.
Illustration inspired by the poem · AI-generated
ରାମକେରୀ ମଧୁକରୀ ଯୋଡ଼ିମହୁରୀ କେତେ ବଜାଗଜା କି ବାଘଛେଳି, ବହୂଚୁରୀ, ହୁମବଉଳି ନ ହେଲେ ଗଞ୍ଜପାର ରଙ୍ଗୀନ୍ ପଟ ହାରିବା, ହଜିବା ପାଇଁ ରହିଛି ହଜାର ପଥ ଆମ ଗାଆଁ କଡ଼େ ଥକାରେ ବସିଛି, ନିର୍ବିକାର ଯୋଗିଆ ବରଗଛ ମୂଳ ପାଣିମାହାରା ଧଡ଼ି ପହଣୀ ବିଲର ଉଠାଣି ଗଡ଼ାଣିର ମାଟିଧାର ଆମେ ଚାହିଁ ଫେରିପାରୁ ନଥିବା ମନ୍ଦିର ମଧୁରକଷା ଭୂଇଁଜାମୁ କୁସୁମକୋଳି ତାଳବଣ କାକଳି କାଳେ କାଳେ ଟାଣି ନେଉଥିବ ଦୁହିଁଙ୍କର ମନ, ଆମେ ମାନିନେବା ସବୁତକ ସେଇ ଠାକୁର ଠାକୁରାଣୀମାନଙ୍କ ଇଙ୍ଗିତ ଖେଳ। କୋଟିଏ ମୁଣ୍ଡ ମଝିରେ ଅସୁମାରୀ ଦୀନ ଜଣାଣ ଏଇ ମେଳଣଟି- ତୁମେ ଆଉ ମୁଁ ମିଶିବା, ତୁମେ କଣ ଭାବିଲ କପାଳର ଲେଖା ବୋଲି? ହସୁଚେ କାନ୍ଦୁଚେ, ଶୁଖିଲା ପତରଟିଏ ଉଡ଼ିଲା ପରି ବହୁଛେ ତାଙ୍କରି ଅନବଦ୍ୟ ଇଚ୍ଛାରେ ! ତଥାପି ଆମେ ଅଛେ, ଏକ ବିଭାଜିତ ପ୍ରାଣର ଦୁଇଟି ପାର୍ଶ୍ବ ଆମେ ଚାଲୁଚେ, ବୁଲୁଚେ ଗୋଟିଏ ପୃଥିବୀରେ, ଏକ ସମୟରେ। ଚାଲ ଭାବିନେବା ଏହାହିଁ ପରମ ଆନନ୍ଦ, ତୃପ୍ତଜୀବନର ବରଦାନ। ଅନ୍ତତଃ ମୋର ଉଦାସ ମୁହୂର୍ତ୍ତ ଗୁଡ଼ିକରେ ତୁମର ଆଧିପତ୍ୟ ତୁମେ ଆସ, ମୋର ହାତଧରି ଥରକୁ ଥର ସେହି ପ୍ରେମଗୀତ ଗୁଡ଼ିକ ବୁଣିବା ପାଇଁ, ଏ ନିଉଁଛାଣିରେ ଯେତିକି ସୁଖ ସେତିକି ବେଦନ ଯେତେ ବିବାଦ, ଅପବାଦ ସେତିକି ମାନ, ଯାତନ, ଆଉ ତହୁଁ ଅଧିକ ପ୍ରେମ ଲୁହର ସରୁ ଚୁମ୍ବନ ଉଛୁଳି ଯାଏ କଜଳଲାଞ୍ଜି ନୟନୁ ଗଣ୍ଡଦେଶ ଯାଏଁ ! ~ ଶକୁନ୍ତଳା
ମୂଳ ପ୍ରକାଶନ ପଢ଼ନ୍ତୁ ↗

କବିତାଗୁଡ଼ିକ ମୂଳ ଭାଷାରେ ରହିଛି। ଭାଷା ବଦଳାଇଲେ ୱେବ୍‌ସାଇଟ୍‌ର ପରିଚୟ ଓ ନିର୍ଦ୍ଦେଶ ବଦଳିବ।