KABITA WITHOUT BORDERS

Original poem · ଓଡ଼ିଆ

ତୁ ଲୁଚିଯାଉ ଯେବେ ଯେବେ

ଶକୁନ୍ତଳା ଗୁପ୍ତା

Autumn moon half hidden by clouds over white kans grass, a jamun flowering twig, quiet absence.
Illustration inspired by the poem · AI-generated
* ଶରଦର ଚାନ୍ଦ ମୋର, ତୁ ଲୁଚିଯାଉ ଯେବେ ଯେବେ; ତୁଚ୍ଛା ଲାଗେ ଏ ନଈ ପଠା କାଶତଣ୍ଡୀର ଏ ସପ୍ତଶତୀ ମେଢ଼, ମିଛ ହେଇଯାଏ ଏ ପାର୍ବଣ ଏ ଆକାଶର ଇନ୍ଦ୍ରଧନୁ, ଧଳା ମାୟାମେଘ ନିର୍ମମ ଦାଉ ସାଧେ। ଶୀତର ପ୍ରଥମ ସ୍ପର୍ଶ ପରି ଆଞ୍ଜୁଳେ ଅନ୍ଧାର ଆକୁଳେଇ ଧରେ ଏ ଯାନ୍ତ୍ରିକ ନିଶ୍ୱାସ ପ୍ରଶ୍ୱାସ ମୋର କଣ୍ଟା ପରି ଫୋଡ଼ି ହୁଏ ଅଳକା ପିନ୍ଧାଏ ଏ ଅନ୍ଧାରି ତିଳକ ମୋ କପାଳରେ, ବାଟ କାଢ଼ି ଖସେ ଓଠରୁ ଗଳା ଯାଏଁ , କାରୁମୟ ତାରକସିଆ ପଦକଟିଏ ଭଳି ଦେହ ଛୁଏଁ, ସ୍ତବ୍ଧ କରେ ମୋ ଚଉଦ ଭୂବନ, ଜାମୁ ରଙ୍ଗର ଫୁଲଟିଏ ଆଙ୍କିଛି ତୋ ଚୁମ୍ବନ । ଶାରଦ ଚନ୍ଦ୍ରମାରେ, ତୁ ଫୁଟିଚୁ କେଉଁ ଅପହଞ୍ଚ ଗାଁଆ ମଝିରେ ଆଖି ପାଉ ନାଇଁ । ତୁ ଧରାଇ ଦେଇଚୁ ମୋତେ ନେଇ ବଗୁଲୀର ଥଣ୍ଟରେ - କେରାଣ୍ଡି ମାଛଧରା, ଏ ଜୀବନ ଏଇଲେ ଅଛି ଏଇଲେ ନାଇଁ । ମୋ ଦିନ ଗୁଡ଼ିକ ଏକ କଳ୍ପିତ ବୃତ୍ତରେ ଘୁରୁଛନ୍ତି ଖଣ୍ଡିଆ ଭୂତ ହେଇ, ଶୂନ୍ୟକୁ ମେରୁ କରି, ଦେହ କହିଲେ ମୁଠାଏ ଧୂଳି। ତୁ ଲୁଚି ଯାଉ ଯେବେ ଯେବେ, ତିଳତଣ୍ଡୁଳିତ ମୋ ଗାଁ ହୁଏ ଶୁଷ୍କ ମରୁମୟ, ଅନ୍ଧାରି ଏ କଦମ୍ବ ତରୁତଳ ମୁଁ ନିତି ସାଜେ ଏଠି ତୋ ତାରାଫୁଲ ! ** _ଶକୁନ୍ତଳା
Read at source ↗

Poems appear in their original language. The language selector changes the website text.