KABITA WITHOUT BORDERS

ମୂଳ କବିତା · ଓଡ଼ିଆ

ଅବିର ଖେଳା ରେ..

ଶକୁନ୍ତଳା ଗୁପ୍ତା

Soft clouds of rose and saffron Holi powder around a flute and flowering branch, intimate spring play.
Illustration inspired by the poem · AI-generated
--------------- ଚଉସମ ସୁଗନ୍ଧି, କନ୍ଦୁଳି ପାଟ ରୁନ୍ଧି.. ବକୁଲେ, ସୁଆଙ୍ଗୀ ସଙ୍ଗିୟା । ଚାମୀକର ରଙ୍ଗିଆ, ଯୋଡ଼ି ଝଲଝଲିଆ... ନାଗୁଲେ, ଭଣିତି ଭଙ୍ଗିୟା ରେ । ରାଇବର । ଧାତା ସେ ଗୋପ ବଲ୍ଲଭରେ। ପଞ୍ଚରଙ୍ଗୀ ଝୁଲେ ଦୋଳରେ । ବସନ୍ତରାସେ ରସି, ଧାଈ ବରଷେ ଖସି.. ଶ୍ରୀଅଙ୍ଗ, ନୀପକେଳି ରଙ୍ଗ ରେ । (୧) କୁହୁକ କୁହାଟିଲା, ପାଦେ ଧଣ୍ଡ ଶିକୁଳା.. କୁଞ୍ଜରେ, କୁନ୍ଦ ପ୍ରତିହାରୀ। କୁସୁମିତ କବରୀ, ବିଦମାଳୀ ବଲ୍ଲରୀ.. ବାହୁରେ, ଘେରେ ନଦୀନାରୀ ରେ। ବଂଶୀଧର । ଅବିର ଖେଳା ନ ସରିଲା । ରାଧିକା କଟୀରେ ଧ‌ଇଲା। ଅସି କାମର ଦାଢ଼, ଭିଆଣ ମଧୁ ଭିଡ଼... ଅଶୀଳା, ପିରତି କବଲା ରେ । (୨) ---------------------------------- ବୃତ୍ତ - କାମୋଦୀ, ( ରଙ୍ଗ ଉତ୍ସବର ଶୁଭକାମନା ସହ କବିତା ଟିଏ,) _ ଶକୁନ୍ତଳା ଗୁପ୍ତା, ରାଉରକେଲା ---------------- କିଛି ଶବ୍ଦାର୍ଥ ଭାଷାକୋଷ ରୁ: ଚାମୀକର - ସୁନା, ସ୍ବର୍ଣ୍ଣମୟ ଝଲଝଲିଆ - ଦୀପ୍ତି ୟୁକ୍ତ,ଝୁଲୁଥିବା ନାଗୁଲ - କର୍ଣ୍ଣର ନାଗାକୃତି ଅଳଙ୍କାର ବିଦମାଳୀ - ଭୁଜ ର ଅଳଙ୍କାର ଭଣିତି- କଥନ, ବାକ୍ଯ; କଥା ସୁଆଙ୍ଗୀ - ଭଣ୍ଡ ଧାଈ - ଧାତକୀ, ପାଟଳୀ, ଫୁଲ ବିଶେଷ କୁନ୍ଦ - ମଲ୍ଲିଫୁଲଜାତୀଯ ଗୁଳ୍ମ ଓ ତହିଁର ଧଳା ଫୁଲ, ବିଷ୍ଣୁଙ୍କ ନାମବିଶେଷ ରଙ୍ଗିଆ - ରସିକ ଅସି - ଖଡ୍ଗ; ଖଣ୍ଡା କବଲା କରାଇବା - ଆପଣା ନାମରେ ଅନ୍ୟ ବ୍ୟକ୍ତିଠାରୁ କବଲା ଲେଖାଇ ନେବା (ସମ୍ପତି)
ମୂଳ ପ୍ରକାଶନ ପଢ଼ନ୍ତୁ ↗

କବିତାଗୁଡ଼ିକ ମୂଳ ଭାଷାରେ ରହିଛି। ଭାଷା ବଦଳାଇଲେ ୱେବ୍‌ସାଇଟ୍‌ର ପରିଚୟ ଓ ନିର୍ଦ୍ଦେଶ ବଦଳିବ।